June 9, 2025

Maha Shivratri 2025: ଜାଣନ୍ତୁ Mahashivratri ପାଳନ କରିବାର କାରଣ ଏବଂ ମହତ୍ତ୍ୱ

0
Kalinga Institute of Industrial Technology (2)

ମହାଶିବରାତ୍ରୀ ହିନ୍ଦୁ ଧର୍ମର ଏକ ପ୍ରମୁଖ ପର୍ବ ଭାବେ ପରିଚିତ। ଯାହା ପ୍ରଭୁ ଶିବଙ୍କ ପୂଜା ଏବଂ ଉପାସନା ପାଇଁ ସମର୍ପିତ।ଏହି ପର୍ବ ପ୍ରତ୍ୟେକ ବର୍ଷର ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀରେ ପାଳନ କରାଯାଏ।

ମହାଶିବରାତ୍ରୀ ବର୍ଷର ଥରେ ଆସିଥାଏ। ଇଂରାଜୀ କ୍ୟାଲେଣ୍ଡର ଅନୁଯାୟୀ, ଏଥର ଏହି ପର୍ବ 26 ଫେବୃଆରୀ 2025 ବୁଧବାର ଦିନ ପଡିଛି। ମହାଶିବରାତ୍ରୀର ଗୁରୁତ୍ୱପୂର୍ଣ କାରଣ ହେଉଛି ଏହା “ଶିବ ଏବଂ ଶକ୍ତିର” ମିଳନର ରାତ୍ରୀ ଅଟେ। ଆଧ୍ୟାତ୍ମିକ ଭାବେ ଏହାର ପ୍ରକୃତି ଏବଂ ମନୁଷ୍ୟର ମିଳନ ରାତ୍ରୀ ଭାବେ ବର୍ଣ୍ଣନା କରାଯାଇଛି।

‘ମହାଶିବରାତ୍ରୀ’ ର ଅର୍ଥ ହେଉଛି “ଶିବଙ୍କର ମହାନ ରାତି”। ଏହା ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିର ପଡିଥାଏ (ସାଧାରଣତଃ ଫେବୃଆରୀ କିମ୍ବା ମାର୍ଚ୍ଚରେ ଏହି ପବିତ୍ର ଦିନ ପଡିଥାଏ)।ମହାଶିବରାତ୍ରୀକୁ ଭଗବାନ ଶିବଙ୍କ ପ୍ରତି ଭକ୍ତି ଓ ସମ୍ମାନ ଜଣାଇବା ପାଇଁ ଏକ ବିଶେଷ ଉତ୍ସବ ଭାବରେ ପାଳନ କରାଯାଏ। ଏହି ଦିନ ଦେଶର ସମସ୍ତ ଜ୍ୟୋତିର୍ଲିଙ୍ଗ ଏବଂ ଶିବ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥାଏ। ଯେଉଁଠାରେ ଶିବଲିଙ୍ଗର ଜଳାଭିଷେକ ଏକ ରୀତିନୀତି ଭାବରେ କରାଯାଇଥାଏ।

ମହାଶିବରାତ୍ରି କାହିଁକି ପାଳନ କରାଯାଏ?

ପ୍ରଥମ ପୌରାଣିକ କଥା ଅନୁଯାୟୀ ଭଗବାନ ଆଦିଦେବ ଭଗବାନ ଶିବ ଫାଲ୍ଗୁନ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ଦିନ ଲକ୍ଷ ଲକ୍ଷ ସୂର୍ଯ୍ୟଙ୍କ ପ୍ରଭାବ ସମାନ ଜ୍ୟୋତିର୍ଲିଙ୍ଗରେ ପ୍ରକଟ ହୋଇଥିଲେ, ଯାହାଫଳରେ ସେହି ଦିନକୁ ଭଗବାନ ଶିବଙ୍କ ଜ୍ୟୋତିର୍ଲିଙ୍ଗ ପ୍ରଦର୍ଶନ ବା ମହାଶିବରାତ୍ରୀ ଭାବରେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ, ସୃଷ୍ଟି ଆରମ୍ଭରେ ଏହି ଦିନ ମଧ୍ୟରାତ୍ରିରେ ଭଗବାନ ଶିବ, ବ୍ରହ୍ମ ରୂପରୁ ରୁଦ୍ର ରୁପକୁ ଅବତରଣ କରିଥିଲେ। ଏବଂ ସର୍ବ ପ୍ରଥମେ ବ୍ରହ୍ମା ଏବଂ ବିଷ୍ଣୁ  ତାଙ୍କର ପୂଜାର୍ଚନା କରିଥିଲେ।

ଅନ୍ୟ ଏକ ପୌରାଣିକ କଥା ଅନୁଯାୟୀ, ଭଗବାନ ଶିବଙ୍କୁ ତାଙ୍କ ସ୍ୱାମୀ ଭାବରେ ପାଇବା ପାଇଁ ମାତା ପାର୍ବତୀ କଠୋର ତପସ୍ୟା କରିଥିଲେ। ତାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଭଗବାନ ଶିବ ତାଙ୍କୁ ଏହି ପବିତ୍ର କୃଷ୍ଣପକ୍ଷ ଚତୁର୍ଦଶୀ  ଦିନରେ ବିବାହ କରିଥିଲେ। ଏହି କାରଣରୁ ମଧ୍ୟ ଏହି ପବିତ୍ର ଦିନରେ ଶିବରାତ୍ରୀ ପର୍ବ ଭାବେ ପାଳନ କରାଯାଏ। ଧାର୍ମିକ ବିଶ୍ୱାସ ଅନୁଯାୟୀ, ମହାଶିବରାତ୍ରୀ ଦିନ ଉପବାସ ଏବଂ ଜଳାଭିଷେକ ଦ୍ୱାରା ବୈବାହିକ ଜୀବନରେ ଥିବା ସମସ୍ତ ପ୍ରକାରର ସମସ୍ୟାର ଅନ୍ତ ଘଟିଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇଥାଏ।

ଶିବ ପୁରାଣ ଅନୁଯାୟୀ, ମହାଶିବରାତ୍ରୀର ମହତ୍ତ୍ୱ କ’ଣ?

ଶିବ ପୁରାଣ ଅନୁଯାୟୀ, ଭଗବାନ ଶିବ ଏବଂ ଦେବୀ ପାର୍ବତୀଙ୍କ ବିବାହ ଫାଲ୍ଗୁନ ମାସ କୃଷ୍ଣ ପକ୍ଷ ଚତୁର୍ଦଶୀ ଦିନ ହୋଇଥିଲା।ଭଗବାନ ଶିବ ବୈରାଗ୍ୟ ତ୍ୟାଗ କରି ପାରିବାରିକ ଜୀବନରେ ପ୍ରବେଶ କରିଥିଲେ। ଶିବ ଏବଂ ଶକ୍ତିର ମିଳନକୁ ସ୍ମରଣ କରିବା ପାଇଁ ମହାଶିବରାତ୍ରୀ ପର୍ବ ପାଳନ କରାଯାଇଥାଏ। ବିଶେଷ କରି ମହାଶିବରାତ୍ରୀ ଦିନ ଜଣେ ବ୍ୟକ୍ତି ପବିତ୍ର ମନରେ ଜ୍ୟୋତିର୍ଲିଙ୍ଗର ପୂଜା କରିବା ବା ଆରାଧନା କରିବା ଫଳରେ ତାର ସମସ୍ତ ଇଛା ପୁରାଣ ହେବା ସହ ପରିତ୍ରାଣ ଲାଭ କରିଥାଏ। ଶିବଲିଙ୍ଗ ଭଗବାନ ଶିବଙ୍କର ଦିବ୍ୟ ଏବଂ ଚୈତନ୍ୟ ସ୍ୱରୂପ ଅଟେ। ହିନ୍ଦୁ ଧର୍ମର ମହାଶିବରାତ୍ରିର ବିଶେଷ ମହତ୍ତ୍ୱ ରହିଛି।

ମହାଶିବରାତ୍ରୀ କିପରି ପାଳନ କରାଯାଏ?

ମହାଶିବରାତ୍ରୀ ଦିନ ବ୍ରତ ବା ଉପବାସ କରାଯାଏ ଏବଂ ଶିବଲିଙ୍ଗକୁ ପୂଜା କରାଯାଏ। ମହାଶିବରାତ୍ରୀରେ ଶିବଲିଙ୍ଗରେ ଜଳାଭିଷେକ ଏବଂ ରୁଦ୍ରାଭିଶେକ ରୀତିନୀତି ଅନୁଯାୟୀ ପରିବେଷଣ କରାଯାଇଥାଏ। ବ୍ରତ କରିଥିବା ସମସ୍ତ ଭକ୍ତମାନେ ମନରେ ପ୍ରଭୁଙ୍କ ଆରଧନା କରିଥା’ନ୍ତି। ସନ୍ଧ୍ୟା ସୁଦ୍ଧା ଶିବ ମନ୍ଦିରରେ ଏକାଠି ହୋଇ ପବିତ୍ର ମନରେ ଏକ ଦୀପ ଜାଳିଥା’ନ୍ତି। କେତେକ ସ୍ଥାନରେ ଭଗବାନ ଶିବଙ୍କ ଶୋଭାଯାତ୍ରା ମଧ୍ୟ ବାହାରିଥାଏ। ଏହି ଦିନ ଭଗବାନ ଶିବଙ୍କ 108 ନାମ ଜପ କରାଯାଇଥାଏ। ଭଗବାନ ଶିବଙ୍କୁ ରାତ୍ର 4 ଟା ପର୍ଯ୍ୟନ୍ତ ପୂଜା କରାଯାଇଥାଏ। ପୂଜା ସମାପ୍ତ ପରେ ଜ୍ୟୋତିର୍ଲିଙ୍ଗସାମ୍ନାରେ ଜଳୁଥିବା ମହାଦୀପକୁ ମନ୍ଦିରର ଉପରି ଭାଗକୁ ଉଠାଯାଇଥାଏ। ଏହା ପରେ ବ୍ରତର ପରିସମାପ୍ତି ଘଟିଥାଏ।

Leave a Reply

Your email address will not be published. Required fields are marked *