Free treatment: ସଡ଼କ ଦୁର୍ଘଟଣାରେ ପୀଡିତମାନେ ମାଗଣା ଚିକିତ୍ସା ପାଇପାରିବେ।

ନୂଆଦିଲ୍ଲୀ ୦୫|୩: ସଡକ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ମାଗଣା ସେବା ମିଳିବ। ସେମାନଙ୍କୁ ୧.୫ ଲକ୍ଷ ଟଙ୍କା ନଗଦ ରାଶି ଆକାରରେ ଦିଆଯିବ। ଏହା ମାର୍ଚ୍ଚରୁ ଲାଗୁ ହେବ ବୋଲି କୁହାଯାଇଛି। ସମସ୍ତ ସରକାରୀ ଓ ବେସରକାରୀ ହସ୍ପିଟାଲ ପାଇଁ ଏହି ଯୋଜନା ବାଧ୍ୟତାମୂଳକ ଭାବରେ ଲାଗୁ କରାଯିବ। ଭାରତର ଜାତୀୟ ରାଜପଥ ଏନଏଚଏଆଇ ଏହାର ନୋଡାଲ ଏଜେନ୍ସି ଭାବେ କାର୍ଯ୍ୟ କରିବ ବୋଲି ସୂଚନା ମିଳିଛି।
ଏହି ଯୋଜନା ଲାଗୁ କରିବା ପାଇଁ ଏନଏଚଏଆଇ ର ଜଣେ ଅଧିକାରୀଙ୍କ କହିବାନୂଯାୟୀ, ମୋଟର ଯାନ ଅଧିନିୟମ ୧୯୮୮ର ଧାରା। ୧୬୧ରେ ପରିବର୍ତ୍ତନ କରାଯାଇଛି। ଏହା ସମଗ୍ର ଦେଶରେ ଲାଗୁ କରାଯିବା ପୂର୍ବରୁ ଗତ ୫ମାସ ହେଲା ପୁଡୁଚେରୀ,ହରିୟାଣା,ପଞ୍ଜାବ ଓ ଆସାମ ଭଳି ୬ ରାଜ୍ୟରେ ପାଇଲଟ ପ୍ରକଳ୍ପ ଭାବେ କାର୍ଯ୍ୟକାରୀ କରାଯାଉଛି। କୌଣସି ଆହତ ବ୍ୟକ୍ତିଙ୍କୁ ପୋଲିସ, ହସ୍ପିଟାଲରେ ପହଞ୍ଚିବା ପରେ ସଙ୍ଗେ ସଙ୍ଗେ ତାଙ୍କର ଚିକିତ୍ସା ଆରମ୍ଭ କରାଯିବ। ଏଥିପାଇଁ କୌଣସି ଟଙ୍କା ଭରିବାକୁ ପଡିବ ନାହିଁ, ଆହତଙ୍କ ସହ ତାଙ୍କର କୌଣସି ବନ୍ଧୁ ଥାନ୍ତୁ କିମ୍ବା ନଥାନ୍ତୁ ହସ୍ପିଟାଲ କତୃପକ୍ଷ ତାଙ୍କର ଚିକିତ୍ସା ସହ ଦେଖାଶୁଣା ମଧ୍ୟ କରିବ। ସରକାରୀ ଓ ଘରୋଇ ହସ୍ପିଟାଲ ଆହତମାନଙ୍କୁ ଏହି କ୍ୟାସଲେସ ଚିକିତ୍ସା ସୁବିଧା ପ୍ରଦାନ କରିବାକୁ ବାଧ୍ୟ।
ଆହତଙ୍କ ଦୁର୍ଘଟଣାପରେ ୨୪ଘଣ୍ଟା ଭିତରେ ପୋଲିସ ଏହି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ପଡିବ। ପୋଲିସ ରିପୋର୍ଟ ଓ ଆହତଙ୍କ ପରିଚୟ ପତ୍ର ପ୍ରଦାନ ପରେ ଯୋଜନାର ଲାଭ ମିଳିପାରିବ। କେନ୍ଦ୍ର ସରକାରଙ୍କ ତରଫରୁ ଆହତମାନଙ୍କୁ ୧.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦିଆଯିବ। ହସ୍ପିଟାଲ୍ ରେ ଆହତମାନଙ୍କୁ ୭ ଦିନ ପର୍ଯ୍ୟନ୍ତ ରଖାଯାଇପାରିବ ଏବଂ ଏନଏଚଏଆଇ ସମସ୍ତ ଚିକିତ୍ସାର ଅର୍ଥ ଭରଣା କରିବ । ଚିକିତ୍ସା ପାଇଁ ଅଧିକ ଟଙ୍କା ଦରକାର ପଡିଲେ ତାହା ଆହତଙ୍କ ପରିବାର ଭରଣା କରିବେ। ଏହା ୨ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିବା ପାଇଁ ସରକାର ବିଚାର କରୁଥିବା ଜଣାପଡିଛି।
୨୦୨୪ ମାର୍ଚ୍ଚ ୧୪ ତାରିଖରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ ଏହି ପାଇଲଟ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ। ସେଥିପରେ ୬ଟି ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା। ସଫଳତା ପ୍ରାପ୍ତ ହେବା ପରେ, ଗଡକରୀ ଗତ ଜାନୁଆରୀ ୭ ତାରିଖରେ ଏହି ପ୍ରକଳ୍ପକୁ ସମ୍ପୂର୍ଣ୍ଣ ଦେଶରେ ଲାଗୁ କରିବା ପ୍ରକାଶ କରିଥିଲେ। ଏହି ପ୍ରକଳ୍ପର ଏକ ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଦୁର୍ଘଟଣା ପରେ ତୁରନ୍ତ ଚିକିତ୍ସା ସୁବିଧା ଦେଇ, ଏକ ଘଣ୍ଟାର ଭିତରେ ଆହତଙ୍କୁ ଚିକିତ୍ସା ଦେବା। ଏହି ସମୟରେ ଚିକିତ୍ସା ସୁବିଧା ପ୍ରାପ୍ତ ନ ହେଲେ, ଆହତଙ୍କର ଜୀବନ ପ୍ରତି ବିପଦ ଆଶଙ୍କା ରହିଥାଏ । ଏହି ପ୍ରକାର ଘଟଣାଗୁଡିକୁ ରୋକିବା ଓ ଦୁର୍ଘଟଣା ପରିଣାମରେ ମୃତ୍ୟୁ ହ୍ରାସ କରିବା ପାଇଁ, କେନ୍ଦ୍ର ସରକାର ଏହି ପ୍ରକଳ୍ପକୁ ସକ୍ରିୟ କରିଛନ୍ତି।