June 9, 2025

ଆରସିବି ବିଜୟ ଉତ୍ସବ ପାଲଟିଲା ଶୋକସଭା: 11 ମୃତ, 50ରୁ ଉର୍ଦ୍ଧ ଆହତ

0
ଆରସିବି ବିଜୟ ଉତ୍ସବ ପାଲଟିଲା ଶୋକସଭା: 11 ମୃତ, 50ରୁ ଉର୍ଦ୍ଧ ଆହତ

ନୂଆଦିଲ୍ଲୀ ୦୫|୦୬: ଆଇପିଏଲ୍ ଟ୍ରଫି ଜିତିବା ଖୁସିକୁ ଉତ୍ସବରେ ପରିଣତ କରିଥିଲେ ଆରସିବିର ପ୍ରଶଂସକ ମାନେ, କିନ୍ତୁ ଏହି ଉତ୍ସବ ହେଲା ଦୁଃଖର କାରଣ। ବୁଧବାର ଆୟୋଜିତ ବିଜୟ ଶୋଭାଯାତ୍ରା ଦୂର୍ଭାଗ୍ୟବଶତଃ ଦଳାଚକଟା ଘଟଣାରେ ପରିଣତ ହେଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଓ ୫୦ ରୁ ଅଧିକ ଲୋକ ଆହତ ହେବା ଖବର ମିଳିଛି। ମୃତକମାନଙ୍କ ମଧ୍ୟରେ ଜଣେ ମହିଳା ମଧ୍ୟ ଅଛନ୍ତି।

ଅଧିକ ଭିଡ଼ ଏବଂ ଅନୁଚିତ ପ୍ରସ୍ତୁତି ଏହି ଦୁଃଖଦ ଘଟଣା ପଛର ମୁଖ୍ୟ କାରଣ ବୋଲି କୁହାଯାଉଛି। ଏହା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କ ସ୍ୱାସ୍ଥ୍ୟ ସୁଧାର ପାଇଁ ଅଭିଲାଷ କରିଛନ୍ତି।

୧୮ ବର୍ଷର ଅପେକ୍ଷା ପରେ ମଙ୍ଗଳବାର ଆଇପିଏଲ୍ ଟ୍ରଫି ଜିତିଥିବା ଆରସିବି ଟିମ୍, ଫାଇନାଲରେ ପଞ୍ଜାବକୁ ୬ ରନରେ ହରାଇ ତା’ର ପ୍ରଥମ ଆଇପିଏଲ୍ ଟ୍ରଫି ଜିତିଥିଲା। ବୁଧବାର ସକାଳେ ଟିମ୍ ବେଙ୍ଗାଲୁରୁ ବିମାନବନ୍ଦରରେ ପହଞ୍ଚିଥିବାବେଳେ ହଜାର ହଜାର ପ୍ରଶଂସକ ଖେଳାଳିଙ୍କୁ ଭବ୍ୟ ସ୍ବାଗତ ଜଣାଇବା ପାଇଁ ସେଠାରେ ଉପସ୍ଥିତ ଥିଲେ।

ପରେ ଏହି ଟିମ୍ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟାଙ୍କୁ ଭେଟିବା ଲାଗି ବିଧାନସଭା ଅଭିମୁଖେ ବାହାରିଥିଲା। ରାସ୍ତାରେ ଲୋକମାନେ ଆରସିବି ପାଇଁ ଜୋରଦାର ନାରାବାଜି କରୁଥିଲେ। ବିଧାନସଭାରେ ରାଜ୍ୟ ସରକାରଙ୍କ ତରଫରୁ ଟିମ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା।

କର୍ଣ୍ଣାଟକ କ୍ରିକେଟ ଆସୋସିଏସନ ଦ୍ୱାରା ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଏକ ଭବ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ଦେଖିବା ପାଇଁ ଷ୍ଟାଡିୟମ୍ ବାହାରେ ଲକ୍ଷାଧିକ ଭିଡ଼ ଜମା ହୋଇଥିଲା, ଯାହାକୁ ନିୟନ୍ତ୍ରଣ କରିବା ପାଇଁ ଯଥାଯଥ ବ୍ୟବସ୍ଥା ନ ଥିବାରୁ ପୁଲିସ ଲାଠିଚାର୍ଜ କରିବାକୁ ବାଧ୍ୟ ହୋଇଥିଲା।

 

View this post on Instagram

 

A post shared by Athar (@withathar)

Also Read:ଏଲନ୍ ମସ୍କଙ୍କ ଚେତାବନୀ: ଘୋର ଋଣ ସଂକଟକୁ ଯାଉଛି ଆମେରିକା

ବେଙ୍ଗାଲୁରୁରେ ଆରସିବି ବିଜୟ ଉତ୍ସବ ଉତ୍ସାହର ଶୀଖରକୁ ଛୁଇଁଥିଲା, କିନ୍ତୁ ଅନୁଷ୍ଠାନରେ ହଠାତ୍ ଘଟିଥିବା ଅନିୟନ୍ତ୍ରିତ ଭିଡ଼ ଏହି ଆନନ୍ଦକୁ ଶୋକରେ ପରିଣତ କରିଦେଇଥିଲା। ଭିଡ଼ ମଧ୍ୟରେ ଜଣେ ଶିଶୁ ଅଚେତ ହେବା ପରେ ଉତ୍ତେଜନା ବୃଦ୍ଧି ପାଇଥିଲା, ପରେ ଅନେକ ଲୋକ ହଠାତ୍ ଏଣେ ତେଣେ ଧାଇଁବାକୁ ଲାଗିଲେ। ଫଳରେ ଅନେକେ ଲୋକ ତଳେ ପଡ଼ି ଯାଇଥିଲେ, ତଳେ ପଡ଼ିଯିବାରୁ ସେମାନଙ୍କ ଉପରେ ଅନ୍ୟମାନେ ଚଢ଼ିଯାଉଥିଲେ। ଯାହା ଫଳରେ ଭୟଙ୍କର ଦଳାଚକଟା ସ୍ଥିତି ଉପୁଜିଥିଲା। କେତେଜଣ ଭିଡ଼ ଭିତରେ ହୃଦ୍ଘାତରେ ପ୍ରାଣ ହରାଇଥିବା ବେଳେ ଆଉ କେତେଜଣ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ପ୍ରାଣ ହରାଇଥିଲେ।

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏହି ଦୁଃଖଦ ଘଟଣା ପ୍ରତି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଏଭଳି ଅତିରିକ୍ତ ଭିଡ଼ ଏକ ସାଧାରଣ ବିଜୟ ଉତ୍ସବକୁ ମାନବିକ ବିପର୍ଯ୍ୟୟରେ ପରିଣତ କରିଦେଲା। ଯେଉଁ ଷ୍ଟାଡିୟମ୍‌ରେ ଆୟୋଜନ ଥିଲା, ସେଠି କେବଳ ୩୫,୦୦୦ ଲୋକ ଅନୁମୋଦିତ ଥିଲେ, କିନ୍ତୁ ଅନୁମାନ ୨-୩ ଲକ୍ଷ ଲୋକ ଜମା ହୋଇଥିଲେ।

ମୃତକଙ୍କ ପରିବାରକୁ ୧୦ ଲକ୍ଷ ସହାୟତା

ଘଟଣାର ତଦନ୍ତ ଆଦେଶ ଦେଇ ସେ ମୃତକଙ୍କ ପରିବାରକୁ ₹୧୦ ଲକ୍ଷ ଅନୁକମ୍ପା ରାଶି ଓ ଆହତମାନଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଛନ୍ତି। ଆହତମାନେ ଏବେ ବିପଦମୁକ୍ତ ଅଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ହସ୍ପିଟାଲକୁ ଯାଇ ଆହତମାନଙ୍କ ସ୍ଥିତି ଜାଣିଛନ୍ତି ଓ ସମବେଦନା ଜଣାଇଛନ୍ତି।

ଆରସିବି ବିଜୟ ଉତ୍ସବ ପାଲଟିଲା ଶୋକସଭା: 11 ମୃତ, 50ରୁ ଉର୍ଦ୍ଧ ଆହତ

ଘଟଣା ପରେ ବିଜେପି କର୍ଣ୍ଣାଟକର ଶାସକ ଦଳକୁ ଘେରିଛି। ବିଜେପିର ପ୍ରବକ୍ତା ଶେହଜାଦ ପୁନାୱାଲା ଏହାକୁ ଏକ ରାଜ୍ୟ ପ୍ରଯୋଜିତ ଅବହେଳା ଓ ହତ୍ୟା ଭାବେ ବର୍ଣ୍ଣନା କରିଛନ୍ତି। ବିଜେପି କର୍ଣ୍ଣାଟକ ଅଧ୍ୟକ୍ଷ ବିଜୟେନ୍ଦ୍ର ୟେଦୁରପ୍ପା କହିଛନ୍ତି ଯେ, ଏହି ଦୁଃଖଦ ଘଟଣା ପାଇଁ କଂଗ୍ରେସର ନେତୃତ୍ୱ ଧାରଣା କରୁଥିବା ସିଦ୍ଧରମୈୟା ସରକାର ପୂର୍ଣ୍ଣ ଭାବେ ଦାୟୀ।

ଲୋକମାନେ ମୃତ୍ୟୁବରଣ କରୁଥିବାବେଳେ ବିଜୟ ଉତ୍ସବ ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଚାଲି ରହିବାକୁ ନେଇ ବିଜେପି ନେତାମାନେ ତୀବ୍ର ଅସନ୍ତୋଷ ଜଣାଇଛନ୍ତି। ସେମାନେ କହିଛନ୍ତି ଯେ ଘଟଣା ପରେ ସେହି କାର୍ଯ୍ୟକ୍ରମକୁ ତୁରନ୍ତ ବାତିଲ କରିଦିଆଯିବା ଉଚିତ୍ ଥିଲା।

ବିଜେପି ନେତା ଚାଲାୱାଡ଼ି ନାରାୟଣସ୍ୱାମୀ କହିଛନ୍ତି, ସରକାର କୌଣସି ପୂର୍ବପ୍ରସ୍ତୁତି ବିନା ଏହି ବିଜୟ ଶୋଭାଯାତ୍ରା କରିଥିଲା। ସେମାନେ ଅଭିଯୋଗ କରିଛନ୍ତି, ଦଳର ପ୍ରଚାରକୁ ଆଗେଇ ନେବା ଲାଗି ଲକ୍ଷ୍ୟ ରଖି ସୁରକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଅଣଦେଖା କରାଯାଇଛି। ସରକାର ପାଖରେ କୌଣସି ଅନୁମାନ ନଥିଲା କେତେ ଲୋକ ଯୋଗ ଦେବେ ଓ କିପରି ସାବଧାନତା ନିଆଯିବ।

ଦଳାଚକଟା ଘଟଣାରେ ରାହୁଲ ଗାନ୍ଧୀର ପ୍ରତିକ୍ରିୟା: “କୌଣସି ବିଜୟ ଉତ୍ସବ ମଣିଷ ଜୀବନଠାରୁ ବଡ଼ ନୁହେଁ”

ଦଳାଚକଟା ଦୁର୍ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଏହି ଦୁଃଖଦ ଘଟଣାରେ ଜଣେ ମଣିଷ ଜୀବନ ହାରାଇଥିବା ବେଳେ ବିଜୟ ଉତ୍ସବ ଆୟୋଜିତ ହେବା ଅତ୍ୟନ୍ତ ଦୁଃଖଦ। ମୃତକଙ୍କ ପରିବାରପ୍ରତି ସମବେଦନା ଜଣାଇ ସେ କହିଛନ୍ତି ଯେ, କର୍ଣ୍ଣାଟକ ସରକାର ଆହତ ଓ ପୀଡ଼ିତଙ୍କୁ ସମ୍ପୂର୍ଣ୍ଣ ସହାୟତା ଦେବା ଉଚିତ। ସାର୍ବଜନୀନ କାର୍ଯ୍ୟକ୍ରମରେ ସୁରକ୍ଷା ବ୍ୟବସ୍ଥାର କଡ଼ା ମୁଲ୍ୟାଙ୍କନ ଓ ନିୟମ ରିଭିଉ ଆବଶ୍ୟକ ବୋଲି ତାଙ୍କ ମତ।

ସେହି ଅଭିମତକୁ ସମର୍ଥନ କରି ପୂର୍ବତନ ଭାରତୀୟ କ୍ରିକେଟର ମଦନ ଲାଲ କହିଛନ୍ତି, ଲୋକେ ଦଳାଚକଟାର ଏହି ଘଟଣା ଏବଂ କ୍ରିକେଟର ବିରାଟ କୋହଲିଙ୍କୁ କେବେ ଭୁଲିପାରିବେନି। ଲୋକେ ବାହାରେ ମରୁଥିବାବେଳେ ଭିତରେ ଉତ୍ସବ ଚାଲିଥିଲା। ଏହା ବାସ୍ତବରେ ଚକିତ କଲାଭଳି ଏବଂ ନିରାଶଜନକ । ବିସିସିଆଇ ଉପାଧ୍ଯକ୍ଷ ରାଜୀବ ଶୁକ୍ଳା କହିଛନ୍ତି, ମୃତକ ଏବଂ ଆହତଙ୍କୁ ଯେତେ ସମ୍ଭବ ସହାୟତା ଦିଆଯାଇପାରିବ ତାହା ମିଳିବା ଉଚିତ । ଏହା କୌଣସି ରାଜନୀତିକ କଥା ନୁହେଁ । ଏ ନେଇ କର୍ଣାଟକ ସରକାର ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜ ସହ ଆଲୋଚନା ଚାଲିଛି।

Leave a Reply

Your email address will not be published. Required fields are marked *