ଭୁବନେଶ୍ୱର,୪|୩: କର୍କଟ ରୋଗରେ ଆକ୍ରାନ୍ତ, ସଠିକ ଚିକିତ୍ସା ପାଇଁ ନା ଅଛି ଅର୍ଥ ନା ସମ୍ବଳ ବିକିବାର ସାମର୍ଥ୍ୟ। ଚିକିତ୍ସା ପାଇଁ ଟଙ୍କା ନଥିବା ସମସ୍ୟା ସାମ୍ନା କରୁଥିବା ବ୍ୟକ୍ତିମାନେ ସରକାରଙ୍କ ନିକଟକୁ ସହାୟତା ପାଇଁ ପହଞ୍ଚିଥିଲେ। ଏଭଳି ପରିସ୍ଥିତିରେ ସରକାରଙ୍କ ପାଖକୁ ଆସିଥିଲେ କନ୍ଧମାଳ ଜିଲ୍ଲା ଟୀକାବାଲିର କ୍ୟାନ୍ସର ପୀଡିତ ଇନ୍ଦୁ ବେହେରା ଏବଂ ବାଲେଶ୍ୱର ଜିଲ୍ଲା ଭୋଗରାଇର ହାଜିରା ବିବି। ହାଜିରା ବୋନ ମ୍ୟାରୋ କ୍ୟାନ୍ସର ଏବଂ ଇନ୍ଦୁ କ୍ୟାନ୍ସରରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି।
ସେମାନେ ସେମାନଙ୍କ ସମସ୍ୟା ସହିତ ସରକାରଙ୍କ ନିକଟକୁ ଆସିଥିଲେ ଏବଂ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ତାଙ୍କର ଦୁଃଖ ଏବଂ ଅବସ୍ଥା ଅବଗତ କରାଇଥିଲେ। ସେମାନଙ୍କ ସମସ୍ୟାକୁ ଶ୍ରୀଯୁକ୍ତ ମାଝୀ ବିଚାର କରି ମୁଖ୍ୟମନ୍ତ୍ରୀ ସହାୟତା ରାଶି ମଞ୍ଜୁର କରିଥିଲେ। ହାଜିରାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠି ଅଧୀନରେ ୩ ଲକ୍ଷ ଟଙ୍କା ଏବଂ ଇନ୍ଦୁଙ୍କୁ ୧ ଲକ୍ଷ ଟଙ୍କା ମିଳିଥାଏ। ମୁଖ୍ୟମନ୍ତ୍ରୀ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ହେଉ ବୋଲି କାମନା କରିଛନ୍ତି।
କେବଳ ଏହି ଦୁଇଜଣ ନୁହେଁ, ଏହିପରି ପୁରୀ ଜିଲ୍ଲାର ନିମାପଡ଼ାରୁ ଆସିଥିବା ପକ୍ଷାଘାତ ପୀଡ଼ିତ ହେମନ୍ତ ସାହୁ, ଖୋର୍ଦ୍ଧା ଜିଲ୍ଲାର ନିରାକାରପୁରର ପକ୍ଷାଘାତ ଆକ୍ରାନ୍ତ ବିଚିତ୍ର ପାଇକରାୟ, ଏବଂ ଗଜପତି ଜିଲ୍ଲାରୁ ପୁଅର ଚିକିତ୍ସା ପାଇଁ ଆସିଥିବା ରଶ୍ମିତା ନାୟକଙ୍କୁ ୧ ଲକ୍ଷ ଟଙ୍କା କରି ସହାୟତା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଅଭିଯୋଗ ପ୍ରକୋଷ୍ଠରେ ଏହି ସହାୟତା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସିଙ୍ଗିଲ୍ ୱିଣ୍ଡୋ ସିଷ୍ଟମ୍ ମାଧ୍ୟମରେ ଅସାଧ୍ୟ ଓ ଦୁରାରୋଗ୍ୟ ନିମିତ୍ତ ପୀଡ଼ିତ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିରୁ ସହାୟତା ପ୍ରଦାନ କରାଯାଇଛି। ଏହି ପ୍ରକ୍ରିୟାକୁ ତ୍ବରିତ କରିବା ପାଇଁ ଅଭିଯୋଗ ପ୍ରକୋଷ୍ଠରେ ଡାକ୍ତରୀ ଦଳକୁ ମଧ୍ୟ ନିୟୋଜିତ କରାଯାଇଛି। ଏହି ଅବସରରେ, ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଭିଯୋଗ ପ୍ରକ୍ରିୟା ମାଧ୍ୟମରେ, ଆମ ସରକାର ସମାଜର ସମସ୍ତ ବର୍ଗକୁ, ବିଶେଷକରି ଭିନ୍ନକ୍ଷମ ବ୍ୟକ୍ତି, ବରିଷ୍ଠ ନାଗରିକ ଏବଂ ଜରୁରୀ ଚିକିତ୍ସା ସହାୟତା ଆବଶ୍ୟକ କରୁଥିବା ଲୋକଙ୍କୁ ସହାୟତା ଯୋଗାଇ ଦିଆଯାଇଥାଏ। ଦୁଃଖ ଓ ସମସ୍ୟାରେ ଜର୍ଜରିତ ବ୍ୟକ୍ତିମାନଙ୍କର ସମସ୍ୟା ଓ ଅଭିଯୋଗ ନେଇ ଏଠାକୁ ଆସୁଛନ୍ତି। ସମସ୍ତଙ୍କ ଅଭିଯୋଗକୁ ଗୁରୁତ୍ବ ଦିଆଯାଇ, ତ୍ବରିତ କାର୍ଯ୍ୟାନୁଷ୍ଠାନ ପାଇଁ ସମ୍ପୃକ୍ତ ବିଭାଗ ଓ କର୍ତ୍ତୃପକ୍ଷଙ୍କ ପାଖରେ ଅଭିଯୋଗପତ୍ର ପ୍ରେରଣ କରାଯାଉଛି।
ଆଜି, ମୁଖ୍ୟମନ୍ତ୍ରୀଙ୍କ ସହ ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ, ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ଶିଳ୍ପ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ଉପସ୍ଥିତ ଥିଲେ ଏବଂ ସେମାନେ ଲୋକଙ୍କର ଅଭିଯୋଗ ଶୁଣିଥିଲେ। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ସାଧାରଣ ଅଭିଯୋଗ ଓ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେନ୍ଦ୍ର କୁମାର, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଦେଓ ରଞ୍ଜନ କୁମାର ସିଂହ ମଧ୍ୟ ଉପସ୍ଥିତ ଥିଲେ।
ଗତବର୍ଷ ଜୁଲାଇ ପହିଲାରୁ ଆରମ୍ଭ ହୋଇଥିବା ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଆରମ୍ଭ ହେବା ପରଠାରୁ ୮୭୩୭ଟି ଅଭିଯୋଗରୁ ୭୩୩୧ଟି ଅଭିଯୋଗ ସମାଧାନ କରାଯାଇଛି, ଯାହା ୮୪% ହେଉଛି।