ନୂଆଦିଲ୍ଲୀ ୦୨|୦୬: ପାଶ୍ଚାତ୍ୟ ରାଷ୍ଟ୍ରମାନେ ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାରେ ଭୟଭୀତ। ରୁଷ-ୟୁକ୍ରେନ୍ ସଂଘର୍ଷ ଓ ପରମାଣୁ ଅସ୍ତ୍ର ବିଶ୍ୱ ଅସ୍ଥିରତାର କାରଣ।
ଦ୍ଵିତୀୟ ବିଶ୍ୱଯୁଦ୍ଧ (୧୯୩୯-୪୫) ଶେଷ ହୋଇ ଏବେ ପ୍ରାୟ ୮୦ ବର୍ଷ ବିତିଗଲା। ଏତେ ବର୍ଷ ଧରି ବିଶ୍ୱ ନିଜକୁ ଏକ ଶାନ୍ତିପୂର୍ଣ୍ଣ ପରିବେଶରେ ଅନୁଭବ କରୁଥିଲା। କିନ୍ତୁ ବର୍ତ୍ତମାନ ଅବସ୍ଥା ଦେଖି ଲାଗୁଛି, ସେହି ଶାନ୍ତିକୁ ପୁଣି ଦୁଃସ୍ୱପ୍ନ ଘେରି ଆସୁଛି। ବିଶ୍ୱ ଏବେ ତୃତୀୟ ବିଶ୍ୱଯୁଦ୍ଧର ଅନ୍ଧକାର ଭୟରେ ଗ୍ରସ୍ତ ହେଉଛି, ଯାହା ବିଶେଷକରି ପାଶ୍ଚାତ୍ୟ ଦେଶମାନେ ଅନୁଭବ କରୁଛନ୍ତି। ରୁଷ-ଆମେରିକା ଏବଂ ପରମାଣୁ ଅସ୍ତ୍ର ଏହି ଭୟର ପ୍ରଧାନ ମୂଳକାରଣ ବୋଲି ଗଣାଯାଉଛି।
ପାଶ୍ଚାତ୍ୟ ରାଷ୍ଟ୍ରଙ୍କୁ ବିଶ୍ୱଯୁଧ୍ୟ ଭୟ
‘ୟୁଗଭ’ ନାମକ ଏକ ସଂସ୍ଥା ଦ୍ଵାରା କରାଯାଇଥିବା ଏକ ନୂତନ ସର୍ଭେ ଅନୁଯାୟୀ, ଆମେରିକା ଓ ୟୁରୋପର ଅନେକ ଦେଶ ଗଭୀର ଭାବରେ ଏହି ଭୟ ଅନୁଭବ କରୁଛନ୍ତି। ସର୍ଭେ ଅନୁସାରେ, ଅଗାମୀ ୫ ରୁ ୧୦ ବର୍ଷ ମଧ୍ୟରେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହେବା ସମ୍ଭାବନା ଅଛି। ଏହି ଅଶାନ୍ତିର ମୂଳ ହେଉଛି ରୁଷ-ୟୁକ୍ରେନ ଯୁଦ୍ଧ, ଆମେରିକାର ବିଦେଶ ନୀତି ଓ ପରମାଣୁ ଅସ୍ତ୍ରକୁ ନେଇ ସୃଷ୍ଟି ହେଉଥିବା ମତଭେଦ।
ସର୍ଭେରେ ଅଂଶଗ୍ରହଣ କରିଥିବା ଲୋକମାନଙ୍କ ମଧ୍ୟରୁ ୫୫% ଲୋକ ମନେ କରନ୍ତି ଯେ ତୃତୀୟ ବିଶ୍ୱଯୁଦ୍ଧ ଅଟଳ। ଏହି ଯୁଦ୍ଧରେ ପରମାଣୁ ଅସ୍ତ୍ର ବ୍ୟବହାର ହେବା ନେଇ ୭୬% ଲୋକ ଭୟ ପ୍ରକାଶ କରିଛନ୍ତି। ସେମାନେ କହିଛନ୍ତି ଯେ ଏହି ଯୁଦ୍ଧ, ଦ୍ଵିତୀୟ ବିଶ୍ୱଯୁଦ୍ଧ ଠାରୁ ଅଧିକ ଭୟଙ୍କର ଓ ବିନାଶକାରୀ ହେବ। ଆମେରିକା, ବ୍ରିଟେନ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ଓ ସ୍ପେନ୍ ଭଳି ୟୁରୋପୀୟ ଦେଶଗୁଡିକ ଏହି ଯୁଦ୍ଧରେ ସକ୍ରିୟ ଭାଗ ନେବା ଆଶଙ୍କା ଅଛି।
ବର୍ତ୍ତମାନ ବିଶ୍ୱ ରାଜନୈତିକ ପରିସ୍ଥିତି ଏପରି ଭାବରେ ଗଠିତ ହେଉଛି, ଯାହା ତୃତୀୟ ବିଶ୍ୱଯୁଦ୍ଧର ଆଶଙ୍କାକୁ ଆଉ ଅଧିକ ଘନୀଭୂତ କରୁଛି। ରୁଷ୍ ଓ ୟୁକ୍ରେନ୍ ମଧ୍ୟରେ ଯୁଦ୍ଧ ଲାଗିରହିଛି। ସଦ୍ୟ ୟୁକ୍ରେନ୍ ପକ୍ଷରୁ ରୁଷର ପାଞ୍ଚଟି ବାୟୁସେନା ଘାଟି ଉପରେ ଜୋରଦାର ଆକ୍ରମଣ ହୋଇ ୪୧ଟି ଯୁଦ୍ଧ ବିମାନ ଧ୍ୱଂସ ହୋଇଛି। ଏହା ପରେ ରୁଷ୍ ପ୍ରତିଉତ୍ତର ଦେବାକୁ ଚିନ୍ତା କରୁଥିବା ସମୟରେ, ବ୍ରିଟେନ୍ ମଧ୍ୟ ଏଥିରେ ସାମିଲ ହେବା ନେଇ ଅନୁମାନ କରାଯାଉଛି।
ଅନ୍ୟପଟେ, ଗାଜାରେ ଇସ୍ରାଏଲ୍ ଓ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଦକ୍ଷିଣ ଚୀନ୍ ସାଗରରେ ଚୀନ୍ ମଧ୍ୟ ତା’ର ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛି, ଯାହା ଆଞ୍ଚଳିକ ସ୍ଥିରତାକୁ ଚ୍ୟାଲେଞ୍ଜ କରୁଛି। ଏହାର ଫଳରେ, ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ମଧ୍ୟ ଅସ୍ଥିରତାର ଆଶଙ୍କାରେ ରହିଛି। ଏହି ପରିପ୍ରେକ୍ଷୀରେ, ଆମେରିକା ଭାରତ ସହ ମିଶି ଚୀନକୁ ଘେରିବାକୁ ଚାହୁଁଛି।
Also Read: IPL 2025 Final Preview: ପଞ୍ଜାବ କିଙ୍ଗ୍ସ ଓ ଆରସିବି ମଧ୍ୟରେ ଐତିହାସିକ ମୁକାବିଲା
ଏହି ସମୟରେ ଦ୍ଵିତୀୟ ବିଶ୍ୱଯୁଦ୍ଧର ଦୁଃସ୍ମୃତି ଆଜି ବି ଅନେକଙ୍କ ମନରେ ସଜିବ ଅଛି। ଏକ ସମୀକ୍ଷା ଅନୁଯାୟୀ, ୫୨% ଲୋକ ମନେ କରୁଛନ୍ତି ଯେ, ନାଜି ଶାସନ ଭଳି ଅନ୍ୟାୟ ପୁଣି ଘଟିପାରେ। ୬୦% ଲୋକ ମନେ କରନ୍ତି ଯେ, ଏହି ଅଭିଶାପ ଆମେରିକା କିମ୍ବା ଅନ୍ୟାନ୍ୟ ୟୁରୋପୀୟ ଦେଶଗୁଡ଼ିକରେ ମଧ୍ୟ ପୁଣି ଦେଖିବାକୁ ମିଳିପାରେ।
ଏହି ସର୍ଭେର ତଥ୍ୟ ଅନୁଯାୟୀ, ପଶ୍ଚିମ ୟୁରୋପର ୮୨% ଓ ଆମେରିକାର ୬୯% ଲୋକ ମନେ କରୁଛନ୍ତି ଯେ ରୁଷ୍ ସହ ବିବାଦ ସମ୍ପୂର୍ଣ୍ଣ ବିଶ୍ୱ ପାଇଁ ବଡ଼ ବିପଦ ରୂପେ ବିକଶିତ ହେଉଛି। ରୁଷର ଆକ୍ରାମକ ସେନା ଚାଳନା ଓ ପରମାଣୁ ଶକ୍ତି ବିଶ୍ୱ ସ୍ଥିରତା ପାଇଁ ଗଭୀର ଆଶଙ୍କା ଉପସ୍ଥାପନ କରୁଛି। ରୁଷ୍ ବ୍ୟତୀତ ଇସ୍ଲାମିକ ଆତଙ୍କବାଦକୁ ମଧ୍ଯ ଅନ୍ୟତମ ବଡ଼ ବିପଦ ବିବେଚନା କରାଯାଉଛି।
ଲୋକମାନେ ମନେ କରୁଛନ୍ତି ଯେ, ଇସ୍ଲାମିକ ଆତଙ୍କବାଦକୁ ତୁରନ୍ତ ନିୟନ୍ତ୍ରଣ କରିବା ଅତ୍ୟାବଶ୍ୟକ। ଏହି ସମସ୍ୟାକୁ ମୁହଁ ଦେବା ପାଇଁ ବିଭିନ୍ନ ଦେଶ ଏକତ୍ରିତ ହୋଇ କାର୍ଯ୍ୟ କରିବା ଦରକାର, ନହେଲେ ଏହା ବିଶ୍ୱ ଶାନ୍ତି ପାଇଁ ବଡ଼ ସଙ୍କଟ ସୃଷ୍ଟି କରିପାରେ।
ସର୍ଭେ ଅନୁସାରେ, ୬୬% ଲୋକ ମନେ କରୁଛନ୍ତି ଯେ ଯୁଦ୍ଧ ପରେ ଶାନ୍ତି ସ୍ଥାପନାରେ ନାଟୋର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। ସେହିପରି, ୬୦% ଲୋକ ଜାତିସଂଘକୁ ମଧ୍ୟ ଏହି ଦିଗରେ ଗୁରୁତ୍ୱ ଦେଉଛନ୍ତି।
ଏଥିପାଇଁ ଏହି ଦୁଇଟି ସଂଗଠନ—ନାଟୋ ଓ ଜାତିସଂଘ—ଭବିଷ୍ୟତରେ ବିଶ୍ୱ ଶାନ୍ତି ରକ୍ଷାରେ ମୂଖ୍ୟ ଭୂମିକା ନିଭାଇପାରିବା ବୋଲି ବିଶ୍ୱାସ କରାଯାଉଛି।
୫୬% ଲୋକ ୟୁରୋପୀୟ ସଂଘକୁ ମଧ୍ୟ ଏହି ନିମିତ୍ତରେ ଗୁରୁତ୍ୱପୂର୍ଣ୍ଣ ଏବଂ ଶକ୍ତିଶାଳୀ ସ୍ତମ୍ଭ ଭାବରେ ଦେଖୁଛନ୍ତି।